Thursday, 10 September 2020

ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦



    ଗୋଟିଏ ଦେଶର ବର୍ତ୍ତମାନ ଜାଣିବା ପାଇଁ ସେହି ଦେଶର ଅର୍ଥନୀତି ବିଷୟରେ ଜାଣିବା ଦରକାର।ସେହିଭଳି ଦେଶର ଭବିଷ୍ୟତ ଜାଣିବା ପାଇଁ ତାର ଶିକ୍ଷା ବ୍ୟବସ୍ଥାକୁ ଜାଣିବା ନିହାତି ଦରକାର।ଆଜି ଯେଉଁ ରାଷ୍ଟ୍ରମାନେ ଉନ୍ନତ ତାଙ୍କ ଶିକ୍ଷା ବ୍ୟବସ୍ଥା ବହୁତ୍ ଉତ୍କୃଷ୍ଟ।ତେଣୁ ପୁରାଣରେ କୁହାହେଇଛି:-
                  “ଯା ବିଦ୍ୟା ସା ବିମୁତ୍କ୍ତ୍ୟାୟେତ୍” 
ଅର୍ଥାତ୍ ମୁକ୍ତି ଓ ମୋକ୍ଷର ମାର୍ଗ କେବଳ ଶିକ୍ଷା ଲାଭ ଦ୍ଵାରା ସମ୍ଭବ।ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅବଦୁଲ କଲାମ କହିଥିଲେ ଯେ “ଶିକ୍ଷା ଏକ ବଡ଼ ଅସ୍ତ୍ର ଯାହା ଦ୍ଵାରା ଆମେ ସମଗ୍ର ବିଶ୍ୱ ଜିତି ପାରିବା।ଆମ ଦେଶ ଭାରତ ପୂର୍ବରୁ ବିଶ୍ଵଗୁରୁ ଥିଲା ତେବେ ବିଭିନ୍ନ ଆକ୍ରମଣ ଓ ଷଡଯନ୍ତ୍ର ପରେ ଆମେ ନିରୁପାୟ ହୋଇଗଲେ।ସେହି ଆକ୍ରମଣରେ ଅଧିକ କ୍ଷତି ଆମ ଶିକ୍ଷା ବ୍ୟବସ୍ଥା ଉପରେ ହୋଇଛି। 
      ପୂର୍ବେ ଆମ ଭାରତରେ ଗୁରୁକୁଳ ପଦ୍ଧତିରେ ଶିକ୍ଷା ଲାଭ ହେଉଥିଲା।ଯାହା ବିଦ୍ୟା ସହିତ କୌଶଳ ବିକାଶ ପ୍ରତି ମଧ୍ୟ ଗୁରୁତ୍ବ ଦେଉଥିଲା।ସମ୍ପୂର୍ଣ୍ଣ ବିକାଶର ଶିକ୍ଷା ପଦ୍ଧତି ଆମ ଭାରତରେ ଥିଲା ବୋଲି ବିଭିନ୍ନ ଗବେଷକ ମତ ରଖିଛନ୍ତି।ବ୍ରିଟିଶ୍ ଆକ୍ରମଣ ପରେ ୧୮୩୫ ମସିହାରେ ପ୍ରଥମ ଥର ପାଇଁ ଭାରତରେ ଇଂରାଜୀ ଶିକ୍ଷା ନୀତି ଆସିଲା।ତତ୍ କାଳୀନ ଗଭର୍ଣ୍ଣର ଜେନେରାଲ ଉଇଲିୟମ ବେଣ୍ଟିକ ଏହାକୁ ପାରିତ କଲେ।ଏହା ଥୋମାସ ବି ମେକ୍କୁଲେଙ୍କ ଦ୍ଵାରା ରଚିତ ହୋଇଥିଲା।ତେଣୁ ଏହି ବ୍ୟବସ୍ଥାକୁ ମେକ୍କୁଲେ ଶିକ୍ଷା ବ୍ୟବସ୍ଥା ମଧ୍ୟ କୁହାଯାଏ।ତାଙ୍କ ମୂଖ୍ୟ ଉଦ୍ଧେଶ୍ୟ ଭାରତର ମୂଲ୍ୟବୋଧ ଶିକ୍ଷା,ସ୍ଥାନୀୟ ଭାଷା ଓ ଧର୍ମ ବିଷୟରେ ଶିକ୍ଷାକୁ ହଟାଇ ଇଂରାଜୀ ଶିକ୍ଷା ଓ ଇଂରାଜୀ ସସ୍କୃତିକୁ ଶିକ୍ଷା ବ୍ୟବସ୍ଥାରେ ସ୍ଥାପନ କରିବା ଥିଲା।ଏବଂ ଦୀର୍ଘ ଦିନ ଧରି ଏହା ଅବଲମ୍ବନ ମଧ୍ୟ ହୋଇଥିଲା ତେବେ ସ୍ଵାଧୀନତା ପରେ ୧୯୪୮ ରେ ରାଧାକୃଷ୍ଣ କମିଶନ ଓ ୧୯୬୪-୬୬ ରେ କୋଠାରୀ କମିଶନ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଗଠନ ହୋଇଥିଲା।ଏହି କମିଶନ ଗୁଡିକ ଶିକ୍ଷାରେ କୋଲୋନିଆଲ୍ ବିଚାରକୁ ହଟେଇବା ପାଇଁ ବହୁ ଚେଷ୍ଟା କରିଥିଲେ।କିନ୍ତୁ ତାହା ସମୟଚକ୍ରରେ ବିଫଳ ହୋଇଥିଲା।୧୯୮୪ ରେ ଏକ ରାଷ୍ଟ୍ରୀୟ ଶିକ୍ଷା ନୀତି ନିର୍ମାଣ ହେଲା।ଯାହା ୧୯୯୨ ରେ ସଂଶୋଧନ ହେଲା କିନ୍ତୁ ଏହି ନୀତି ମଧ୍ୟ ଲାଗୁହୋଇ ପାରିଲା ନାହିଁ।୨୦୧୯ରେ ମାନବ ସଂଶୋଧନ ବିକାଶ ମନ୍ତ୍ରାଳୟ ଦ୍ବାରା ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିର ପ୍ରସ୍ତାବ ଆସିଲା।୧୧ ଜଣିଆ କମିଟି ଓ ବିଭିନ୍ନ ସଂସ୍ଥାନରୁ ବିଚାର ବିମର୍ଷ ପରେ ଏହି ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୧୯ ମହାନ୍ ଶିକ୍ଷାବିତ୍ ଡ.କସ୍ତୁରୀ ରଙ୍ଗନାଥନ୍ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେଲା। 
      ଏହି ରାଷ୍ଟ୍ରୀୟ ଶିକ୍ଷା ନୀତି ମାନବ ସଂଶୋଧନ ବିକାଶ ମନ୍ତ୍ରାଳୟକୁ ପରିବର୍ତ୍ତନ କରାଇ ଶିକ୍ଷା ମନ୍ତ୍ରାଳୟ ରୂପରେ ନାମିତ କରିବା ସହିତ ଦେଶର ୬% GDP କୁ ଶିକ୍ଷା କ୍ଷେତ୍ରରେ ବିନିଯୋଗ କରିବେ।ଏହି ବିନିଯୋଗରୁ ୨% ରୁ ଉର୍ଦ୍ଧ୍ୱ ଗବେଷଣା ପାଇଁ ଖର୍ଚ୍ଚ ହେବ।ଏହି ଶିକ୍ଷା ନୀତି ଶିକ୍ଷା ର ଅନ୍ତ ରାଷ୍ଟ୍ରୀୟ କରଣ ଉପରେ ମଧ୍ୟ ଗୁରୁତ୍ବ ଦେବ ।ଶିକ୍ଷା ର  ପରିଚାଳନା ପାଇଁ ରାଷ୍ଟ୍ରୀୟ ଶିକ୍ଷା ଆୟୋଗ(RSA) ଓ ରାଜ୍ୟ ଶିକ୍ଷା ଆୟୋଗ ଗଠନ ହେବ।ରାଷ୍ଟ୍ରୀୟ ପାଠ୍ୟକ୍ରମ ଗଠନ(NCF)ର ୨୦୨୦ ସୁଦ୍ଧା ପୂର୍ଣ୍ଣ ସମୀକ୍ଷା ହେବ।ପ୍ରାଥମିକ ଶିକ୍ଷାରେ ୨୦୩୦ ସୁଦ୍ଧା Gross Enrollment Ratio କୁ ୧୦୦% ରଖିବା ପାଇଁ ଏହି ନୀତି ଲକ୍ଷ ରଖିଛି।ବିଦ୍ୟାଳୟ ଶିକ୍ଷା ୫+୩+୩+୪ ପଦ୍ଧତିରେ ଏଵଂ ମାତୃଭାଷାକୁ ଗୁରୁତ୍ବ ଦିଆଯିବ।ବାଳ ବାଟିକା ନିର୍ମାଣ ହେବା ସହିତ ଭାରତୀୟ ମୂଲ୍ୟବୋଧ ଓ ସଂସ୍କୃତି ପାଇଁ ପାଠ୍ୟକ୍ରମ ରହିବ।ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ କୌଶଳ ଭିତ୍ତିକ ଶିକ୍ଷା ଦିଆଯିବା ସହିତ ସ୍ଥାନୀୟ କାରିଗରଠୁ ଶିଖିବା ପାଇଁ ୧୦ ଦିନ “ନୋ ସ୍କୁଲ୍ ବ୍ୟାଗ୍” କାର୍ଯ୍ୟକ୍ରମରେ ସାମିଲ କରାଯିବ।ଖେଳ,ସଙ୍ଗୀତ,କୃଷି ଭଳି ଶିକ୍ଷା ମୁଖ୍ୟ ପାଠ୍ୟକ୍ରମରେ ରହିବ ଅର୍ଥାତ୍ Co-Curricular ଓ Curricular ଭିତରେ ପାର୍ଥକ୍ୟ ରହିବ ନାହିଁ।ଉଚ୍ଚଶିକ୍ଷାରେ ଅନୁସନ୍ଧାନକୁ ଗୁରୁତ୍ବ ଦିଆଯିବା ସହିତ ସଂସ୍କୃତି ଆଧାରିତ ହେବ।୧ ବର୍ଷ ପଢ଼ିଲେ ମାନପତ୍ର,୨ ବର୍ଷ ପଢ଼ିଲେ ଡିପ୍ଲୋମା,୩ ବର୍ଷ ପଢ଼ିଲେ ସ୍ନାତକ ଓ ୪ ବର୍ଷ ପଢ଼ିଲେ ଗବେଷଣା ମାନପତ୍ର ମିଳିବ।Multidisciplinary Education and Research University(MERUs) ର ସ୍ଥାପନା ହେବ ଯାହା ବିଜ୍ଞାନ ଛାତ୍ରକୁ କଳା ପଢିବାରେ ମଧ୍ୟ ସାହାଯ୍ୟ କରିବ।ଉଦାହରଣ ସ୍ୱରୂପ ଜଣେ ଜୀବ ବିଜ୍ଞାନର ଛାତ୍ର ସଙ୍ଗୀତ ମଧ୍ୟ ପଢିପାରିବ ଜଣେ ସାହିତ୍ୟ ଛାତ୍ର ବିଜ୍ଞାନ ମଧ୍ଯ ପଢିପାରିବ।ସମସ୍ତ ଉଚ୍ଚଶିକ୍ଷା ସଂସ୍ଥାନକୁ ସ୍ଵୟଂ ଶାସିତ ମାନ୍ୟତା ମିଳିବ।ପାଲି ଭଳିଆ ପ୍ରାଚୀନ ଭାଷାର ରାଷ୍ଟ୍ରୀୟ ସଂସ୍ଥାନ ନିର୍ମାଣ ହେବ।ଏହି ଶିକ୍ଷା ନୀତିରେ ଡିଜିଟାଲ  ଓ Technology କୁ ସମ୍ପୂର୍ଣ୍ଣ ଗୁରୁତ୍ବ ଦିଆଯିବ। 
      ତେବେ ଏହି ଶିକ୍ଷା ନୀତି ଭାରତର ମୂଲ୍ୟବୋଧ ଓ ସଂସ୍କୃତିକୁ ଗୁରୁତ୍ବ ଦେବା ସହିତ ବିଦ୍ୟାର୍ଥୀ ମାନଙ୍କ ସମ୍ପୂର୍ଣ୍ଣ ବିକାଶ ଉପରେ ଆଧାରିତ।ଏହି ନୀତିକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭଳି ସଂଗଠନ ସ୍ଵାଗତ କରୁଥିବା ବେଳେ କିଛି ବାମପନ୍ଥୀ ସଂଗଠନ ବିରୋଧ କରୁଛନ୍ତି।ବହୁବର୍ଷ ଧରି ମେକ୍କୁଲେ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନ କରିବା ପାଇଁ କୌଣସି ସରକାର ଚେଷ୍ଟା କରୁନଥିବା ବେଳେ ବର୍ତ୍ତମାନର କେନ୍ଦ୍ର ସରକାର ଏଭଳି ସତ ସାହସ କରି ଶିକ୍ଷା କ୍ଷେତ୍ରରେ ପରବର୍ତ୍ତନ ଆଣିବା ସ୍ବାଗତଯୋଗ୍ଯ ପଦକ୍ଷେପ।ଦୀର୍ଘଦିନ ଧରି ପ୍ରଚଳିତ ଥିବା ଗୋଲାମୀ ପଦ୍ଧତିର ଅବସାନ ଘଟି ଭାରତରେ ଏଭଳି ନୂତନ ସଂସ୍କାର ରୂପକ ଶିକ୍ଷା ପଦ୍ଧତିକୁ ଲାଗୁ ହେବା ଏକ ନୂତନ ଯୁଗର ଅୟାରାମ୍ଭ ବୋଲି ବିବେଚନା କରାଯାଉଛି।ତେବେ ସରକାର ଆଣିଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦କୁ ସମସ୍ତେ ଲାଗୁ କରିବା ସହ ସହଯୋଗ କରିବା ଆବଶ୍ଯକ ରହିଛି।



ବୁଦ୍ଧଦେବ ବାଘ 
ସମ୍ବଲପୁର 
୯୩୩୭୦୯୭୪୪୫

1 comment:

Red Empire Memories

Wo Red Empire ki yadein,,      Wo Ravenshawvian's ka tag,, Wo hazaron dibarein,,,      Or uski har ankahi baat. Kitna unlucky tha na,,, ...